ସମ୍ବଲପୁର ୨୫/୦୫: ସମ୍ବଲପୁର ଚିଡ଼ିଆଖାନା ପରିଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଜୁ'ରେ ବୁଲିବା ବେଳେ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନକୁ ନେଇ ସଙ୍କେତ ଦେଇଛନ୍ତି । ସମ୍ବଲପୁର ଚିଡ଼ିଆଖାନାକୁ ଓଡ଼ିଶା ଦ୍ବିତୀୟ ନନ୍ଦନକାନନ କରାଯିବା ନେଇ ଯୋଜନା ରହିଛି ବୋଲି କହିଛନ୍ତି । ସେହିପରି ସବୁଜ ସହର ହେବ ସମ୍ବଲପୁର, ଆଗାମୀ ୩ ମାସରେ ଲାଗିବ ୧ ଲକ୍ଷରୁ ଅଧିକ ଗଛ । ବୃକ୍ଷରୋପଣ ଅଭିଯାନରେ ସାମିଲ ହେବେ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ସ୍କୁଲ କଲେଜ ଛାତ୍ରଛାତ୍ରୀ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୋରରୁ ସମ୍ବଲପୁର ଚିଡ଼ିଆଖାନା ପରିଦର୍ଶନ କରିବା ସହ ଏହାକୁ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ କରିବା ପାଇଁ ଯୋଜନା କରାଯିବ ବୋଲି କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ସମ୍ବଲପୁର ଚିଡ଼ିଆଖାନାରେ ଜୀବ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ବୁଲି ଦେଖିବା ସହ ସାଧାରଣ ଲୋକଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ସମ୍ବଲପୁର ଚିଡ଼ିଆଖାନାର ବିଭିନ୍ନ ସମସ୍ୟା ଓ ନୂଆ ଜୀବଜନ୍ତୁ ଅଣାଯିବା ନେଇ ଚିଡ଼ିଆଖାନା, ବନ ବିଭାଗ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏ ସମ୍ପର୍କରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସମ୍ବଲପୁର ଚିଡ଼ିଆଖାନାକୁ ନନ୍ଦନକାନନ ଢଙ୍ଗରେ ନୂଆ ରୂପ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଏହାକୁ ବଡ଼ କରିବା ସହ ପର୍ଯ୍ୟଟକଙ୍କ ସୁବିଧା ବଢାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ । ଏହାସହ ସହରରେ ପ୍ରକୃତି ପ୍ରୀତି ନୂଆପିଢିଙ୍କୁ ଆକୃଷ୍ଟ କରାଇବା ପାଇଁ ଉଦ୍ୟମ କରାଯିବ । ଏଥିସହ ଚିଡ଼ିଆଖାନାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଉତ୍ତମ ବ୍ୟବହାର ସହ ଚିଡ଼ିଆଖାନାର କର୍ମଚାରୀମାନଙ୍କୁ ଭଲ ଭାବେ ତାଲିମ ଦେବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ 'ବିଶ୍ୱ ପରିବେଶ ଦିବସ' ଅବସରରେ “ମା’ ପାଇଁ ଗଛଟିଏ” ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିନବ ଅଭିଯାନରେ ସାମିଲ ହେବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସମ୍ବଲପୁରକୁ ସବୁଜ ସହରରେ ପରିଣତ କରାଯିବ । ଏଥିପାଇଁ ୩ ମାସରେ ୧ ଲକ୍ଷରୁ ଅଧିକ ଗଛ ଲାଗିବ । ବିଶ୍ୱ ପରିବେଶ ଦିବସ ଜୁନ୍ ୫ରୁ, ଜୁଲାଇ ଓ ଅଗଷ୍ଟ ମାସ ପର୍ଯ୍ୟନ୍ତ ଗଛ ଲାଗିବ । ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ସହ ଏହି ଅଭିଯାନରେ ବହୁ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ମାତୃଶକ୍ତି, ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହେବେ । ବୃକ୍ଷରୋପଣ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରାଯିବ । ଆମର ପରିବେଶକୁ ଆହୁରି ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ତାହାର ଯତ୍ନ ନେବା ଦରକାର ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।